RSS Amplifier

Odisha Reporter : Latest Posts · Aug 21, 2026

Homestay ହୋମଷ୍ଟେ ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ସହଜ ହେଲା ପଞ୍ଜିକରଣ, ନିୟମ କୋହଳ କଲା ପର୍ଯ୍ୟଟନ ବିଭାଗ

0
Sign in to vote or save

Prakaash Sethi · Odisha Reporter

ହୋମଷ୍ଟେ ବ୍ୟବସାୟ ପାଇଁ ଆବଶ୍ୟକ ଟ୍ରେଡ୍ ଲାଇସେନ୍ସ, ବିଲ୍ଡିଂ ପ୍ଲାନ୍‌, ଅଗ୍ନି ନିରାପତ୍ତା, ବୈଦ୍ୟୁତିକ ସୁରକ୍ଷା ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଭଳି ୫ଟି ପ୍ରମୁଖ କ୍ଷେତ୍ରରେ ଥିବା ସମସ୍ତ ଦ୍ୱନ୍ଦ୍ୱକୁ ଦୂର କରି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶାନାମା ଜାରି ହୋଇଛି।

author-image

Homestays

ରାଜ୍ୟରେ ହୋମଷ୍ଟେ ବ୍ୟବସାୟକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ପ୍ରଚଳିତ ନିୟମକୁ କୋହଳ ଓ ସରଳ କରିଛନ୍ତି । 'ଓଡ଼ିଶା ହୋମଷ୍ଟେ ଏଷ୍ଟାବ୍ଲିସମେଣ୍ଟ ସ୍କିମ-୨୦୨୫' ଅଧୀନରେ ପଞ୍ଜିକରଣ ପାଇଁ ଆବଶ୍ୟକ ପଡ଼ୁଥିବା ଜଟିଳ ଦସ୍ତାବିଜ୍ ପ୍ରକ୍ରିୟାକୁ ଏବେ ଅତ୍ୟନ୍ତ ସରଳ କରାଯାଇଛି।

ହୋମଷ୍ଟେ ବ୍ୟବସାୟ ପାଇଁ ଆବଶ୍ୟକ ଟ୍ରେଡ୍ ଲାଇସେନ୍ସ, ବିଲ୍ଡିଂ ପ୍ଲାନ୍‌, ଅଗ୍ନି ନିରାପତ୍ତା, ବୈଦ୍ୟୁତିକ ସୁରକ୍ଷା ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଭଳି ୫ଟି ପ୍ରମୁଖ କ୍ଷେତ୍ରରେ ଥିବା ସମସ୍ତ ଦ୍ୱନ୍ଦ୍ୱକୁ ଦୂର କରି ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ନୂଆ ନିର୍ଦ୍ଦେଶାନାମା ଜାରି ହୋଇଛି।


ପର୍ଯ୍ୟଟନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କେବଳ ପୌରାଂଚଳ ବା ସହରାଂଚଳରେ ଥିବା ହୋମଷ୍ଟେଗୁଡ଼ିକ ପାଇଁ ହିଁ ଟ୍ରେଡ୍ ଲାଇସେନ୍ସ ବାଧ୍ୟତାମୂଳକ ରହିବ। ଗ୍ରାମାଂଚଳର ହୋମଷ୍ଟେ ମାଲିକମାନେ ଓଡ଼ିଶା ଗ୍ରାମପଂଚାୟତ ଆଇନ-୧୯୬୪ର ଧାରା ୫୫ ଅନୁଯାୟୀ ନିଜ ପାଂୟତରୁ ବ୍ୟବସାୟିକ ଲାଇସେନ୍ସ ନେବେ । ଯଦି କୌଣସି କାରଣରୁ ପଂଚାୟତ ପକ୍ଷରୁ ଏପରି ଲାଇସେନ୍ସ ଦିଆଯାଉନଥିବ, ତେବେ ଆବେଦନକାରୀ କେବଳ ଗୋଟିଏ ଲିଖିତ ନିଜସ୍ୱ ଘୋଷଣାନାମା (ସେଲଫ ଡିକ୍ଲାରେସନ) ଦାଖଲ କରି କାମ କରିପାରିବେ।  

ସେହିପରି ବିଲ୍ଡିଂ ପ୍ଲାନ୍ ଅନୁମୋଦନ କ୍ଷେତ୍ରରେ ଡେଭଲପମେଣ୍ଟ ଅଥରିଟି, ରିଜିଓନାଲ ଇମ୍ପ୍ରୁଭମେଂଟ ଟ୍ରଷ୍ଟ କିମ୍ବା ସ୍ପେଶାଲ ପ୍ଲାନିଂ ଅଥରିଟି ଅଧୀନରେ ଥିବା ହୋମଷ୍ଟେଗୁଡ଼ିକ ପାଇଁ ବିଲିଡିଂ ପ୍ଲାନକୁ ଜରୁରୀ କରାଯାଇଛି। ଏହି କର୍ତ୍ତୃପକ୍ଷମାନଙ୍କ କ୍ଷେତ୍ରାଧିକାର ବାହାରେ ଥିବା ଗ୍ରାମାଂଚଳ ହୋମଷ୍ଟେ କ୍ଷେତ୍ରରେ ପଂଚାୟତିରାଜ ବିଭାଗର ନିର୍ଦ୍ଦେଶ ଅନୁଯାୟୀ କେବଳ ୫୦୦ ବର୍ଗମିଟରରୁ ଅଧିକ ଜମି ଥିଲେ କିମ୍ବା କୋଠାଟି ଦୁଇ ମହଲାରୁ (ଜି+୨) ଅଧିକ ଉଚ୍ଚତା ବିଶିଷ୍ଟ ହୋଇଥିଲେ ହିଁ ବିଲ୍ଡିଂ ପ୍ଲାନ୍ ଅନୁମୋଦନ ଦାଖଲ କରିବାକୁ ପଡ଼ିବ, ଅନ୍ୟଥା ସାଧାରଣ ଘର ପାଇଁ ଏହା ଦାଖଲ କରିବାକୁ ପଡ଼ିବ ନାହିଁ। 

ସେହିପରି ଫାୟାର ସେଫ୍ଟି ସାର୍ଟିଫିକେଟ୍ ନିୟମକୁ ସ୍ପଷ୍ଟ କରି ପର୍ଯ୍ୟଟନ ବିଭାଗ କହିଛି ଯେ, ଓଡ଼ିଶା ଫାୟାର ସେଫ୍ଟି ରୁଲସ୍ ଅନୁଯାୟୀ କେବଳ ୧୨ ମିଟର ବା ତା’ଠୁ ଅଧିକ ଉଚ୍ଚ କିମ୍ବା ୫୦୦ ବର୍ଗମିଟର ବା ତଦୁର୍ଦ୍ଧ୍ୱ ନିର୍ମିତ କ୍ଷେତ୍ରଫଳ ଥିବା କୋଠାଗୁଡ଼ିକ ପାଇଁ ହିଁ ଫାୟାର ସେଫ୍ଟି ପ୍ରମାଣପତ୍ର ଆବଶ୍ୟକ। 

ତେବେ ବୈଦ୍ୟୁତିକ ସୁରକ୍ଷା ପ୍ରମାଣପତ୍ର କ୍ଷେତ୍ରରେ ଯେଉଁ ହୋମଷ୍ଟେଗୁଡ଼ିକର ବିଦ୍ୟୁତ୍ ଚୁକ୍ତିବଦ୍ଧ ଚାହିଦା ୫ କିଲୋୱାଟ୍ ପର୍ଯ୍ୟନ୍ତ ରହିଛି, ସେମାନଙ୍କୁ ଇଲେକ୍ଟ୍ରିକାଲ ସେଫ୍ଟି ସାର୍ଟିଫିକେଟ୍ ଦାଖଲ କରିବାରୁ ସମ୍ପୂର୍ଣ୍ଣ ଛାଡ଼ କରାଯାଇଛି। 

ସେହିପରି କଠିନ ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ୟୁଜର ଫି’ ରସିଦ କିମ୍ବା ପଞ୍ଜିକରଣ ପ୍ରମାଣପତ୍ର କେବଳ ସହରାଂଚଳ ହୋମଷ୍ଟେ ପାଇଁ ବାଧ୍ୟତାମୂଳକ ରହିଛି । ଗ୍ରାମାଂଚଳରେ ଯଦି ପଂଚାୟତ ଦ୍ୱାରା ଅଳିଆ ସଂଗ୍ରହ ବ୍ୟବସ୍ଥା ଥାଏ, ତେବେ ପଂଚାୟତ ପ୍ରଦତ୍ତ ରସିଦ ଦେବାକୁ ହେବ, କିନ୍ତୁ ଯେଉଁଠି ପଂଚାୟତ ପକ୍ଷରୁ ଏପରି ବ୍ୟବସ୍ଥା କାର୍ଯ୍ୟକ୍ଷମ ନାହିଁ, ସେଠାରେ ଆବେଦନକାରୀ ନିୟମାନୁସାରେ ବର୍ଜ୍ୟବସ୍ତୁ ପରିଚାଳନା କରୁଥିବା ନେଇ ଏକ ଲିଖିତ ପ୍ରତିଶ୍ରୁତି ପତ୍ର ଦାଖଲ କରି ପଞ୍ଜିକରଣ କରାଇପାରିବେ।

ହୋମଷ୍ଟେ ବ୍ୟବସାୟରେ ଅଧିକ ସଂଖ୍ୟକ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ପର୍ଯ୍ୟଟନ ବିଭାଗର ଏହି ବିଜ୍ଞପ୍ତି ପରେ ରାଜ୍ୟରେ ଗ୍ରାମାଂଚଳରେ ବି ହୋମଷ୍ଟେ ଖୋଲିବା ଅଧିକ ସୁଗମ ହୋଇପାରିବ ବୋଲି ଜଣାପଡ଼ିଛି।

ଆମର ନ୍ୟୁଜଲେଟରକୁ ସବସ୍କ୍ରାଇବ କରନ୍ତୁ! Be the first to get exclusive offers and the latest news

Read the original on odishareporter.in

Comments

Nothing yet. Say the first thing.

    Sign in to join the conversation.